ଉତ୍କଳ ଦିବସ ଅବସର ରେ ଏଭଳି ସମାଲୋଚନା କଲା ବିଜେପି

The BJP criticized this on the occasion of utkal Divas Day

Apr 1, 2024 - 23:26
Apr 1, 2024 - 23:26
 10
ଉତ୍କଳ ଦିବସ ଅବସର ରେ ଏଭଳି ସମାଲୋଚନା କଲା ବିଜେପି

*ରାଜ୍ୟ କାର୍ଯ୍ୟାଳୟରେ ୮୮ତମ ଉତ୍କଳ ଦିବସ ପାଳନ*

*ଶାସକ ବିଜେଡିର ଅପାରଗତା କାରଣରୁ ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟ ଆଜି ସଂକଟରେ: ସମୀର ମହାନ୍ତି*

ଭୁବନେଶ୍ୱର,ତା.୦୧/୦୪: ଭାଷା ଦ୍ୱାରା ହିଁ ଗୋଟିଏ ଜାତିର ଇତିହାସ, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଜଣା ପଡେ । ରାଜ୍ୟ ସରକାରଙ୍କ ଅପାରଗତା, ନିଷ୍କ୍ରିୟତା ଓ ନେତୃତ୍ୱ ଅଭାବ କାରଣରୁ ଓଡିଶାର ସୀମା ଆଜି ଅସୁରକ୍ଷିତ । ରାଜ୍ୟରେ ଦିନକୁ ଦିନ ଓଡିଆ ଭାଷା ପ୍ରତି ସମ୍ମାନ ଓ ଆନ୍ତରିକତା କମିବା ରାଜ୍ୟକୁ ଏକ ବିପଦପୂର୍ଣ୍ଣ ଭବିଷ୍ୟତ ଆଡକୁ ନେଇଯାଉଛି । ଓଡିଆ ଭାଷାକୁ ରାଜ୍ୟରେ ବିଜେଡି ସରକାର ଯଥେଷ୍ଟ ସମ୍ମାନ ଦେଉନଥିବା କାରଣରୁ ଏବଂ ଅପାରଗତା କାରଣରୁ ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟ ଆଜି ସଂକଟରେ ପଡିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ୮୮ତମ “ଉତ୍କଳ ଦିବସ” ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଓଡ଼ିଶାର ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟ ସମଗ୍ର ବିଶ୍ୱରେ ଅନନ୍ୟ । କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଶ୍ରୀ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏହାର ମୁକସାକ୍ଷୀ । ଏହି ଜାତିର ନମସ୍ୟ ସମ୍ରାଟ ଖାରବେଳ ଖ୍ରୀଷ୍ଟପୂର୍ବ ପ୍ରଥମ ଶପ୍ତାବ୍ଦୀରେ ମହାନ କଳିଙ୍ଗ ସାମ୍ରାଜ୍ୟର ସଂପ୍ରସାରଣ କରିଥିଲେ । ଓଡିଶାର ସାଧବପୁତ୍ର ସୁଦୁର ଶ୍ରୀଲଙ୍କା, ଜାଭା, ବର୍ଣ୍ଣିଓ ଓ ସୁମାତ୍ରା ସହ ନୌବାଣିଜ୍ୟ ସମ୍ପର୍କ ପ୍ରତିଷ୍ଠା କରି ଏହି ରାଜ୍ୟକୁ ସଂବୃଦ୍ଧ କରିଥିଲେ । ମଗଧ ସମ୍ରାଟ ଅଶୋକ ଉଦୟଗିରି ଉପରେ ଥିବା ଜୀନ ମୂର୍ତିକୁ ଖ୍ରୀଷ୍ଟପୂର୍ବ ତୃତୀୟ ଶବ୍ଦାଦ୍ଦୀରେ ଅପହରଣ କରିନେଇଥିଲେ । ଖାରବେଳ ମଗଧ ଜୟ କରି ପୁଣି ଏହାକୁ ଓଡ଼ିଶାକୁ ଫେରାଇ ଆଣି ଉଦୟଗିରି ଉପରେ ପ୍ରତିଷ୍ଠା କରିଥିଲେ । ଉତ୍କଳର ରାଜା କପିଳେନ୍ଦ୍ର ଦେବ ୯ଟି ରାଜ୍ୟ ଜୟ କରି ନିଜକୁ ଗଜପତି ସମ୍ରାଟରୂପେ ଘୋଷଣା କରିଥିଲେ । ଏହି ସମୟରେ ଶାରଳା ଦାସ ଓଡ଼ିଆ ମହାଭାରତ ରଚନା କରିଥିଲେ । ପ୍ରତାପ ରୁଦ୍ର ଦେବଙ୍କ ସମୟରେ ଜଗନ୍ନାଥ ଦାସ ଭାଗବତ ରଚନା କରିଥିଲେ । ୧୮୦୩ରେ ଇଂରେଜମାନେ ଓଡ଼ିଶାର ଶାସନ ଭାର ଗ୍ରହଣ କରିଥିଲେ । ଓଡ଼ିଶାରେ ଶିକ୍ଷାର ପ୍ରସାର ହେବା ପରେ ଉଚ୍ଚଶିକ୍ଷିତ ଓଡ଼ିଆମାନେ ଭାଷା ଭିତିରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

୧୯୦୩ରେ ଉତ୍କଳ ସମ୍ମିଳନୀ ଜରିଆରେ ମଧୂସୁଦନ ଦାସ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କ ସହିତ ପାରଳାର ରାଜା ଗଜପତି କୃଷ୍ଣଚନ୍ଦ୍ର ଦେବ, ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବାଲେଶ୍ୱରର ବିଶିଷ୍ଟ ଉପନ୍ୟାସିକ ଫକୀର ମୋହନ ସେନାପତି, ଓଡ଼ିଶାର ସୌନାମଧନ୍ୟ କବି ଗଙ୍ଗାଧର ମେହେର, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ୧୯୨୯ରେ ସାଇମନ୍ କମିଶନ ଆଗରେ ମଧୁବାବୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦାବି ରଖିଥିଲେ । ୧୯୩୦ରେ ମଧୁବାବୁ ଲଣ୍ଡନରେ ଗୋଲଟେବୁଲ ବୈଠକରେ ଯୋଗ ଦେଇ ଏହି ଦାବିକୁ ଦୋହରାଇ ଥିଲେ । ମଧୁବାବୁଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ବିଧିବଧଭାବେ ୧୯୩୪ମସିହାରେ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠନର ଘୋଷଣା କରାଯାଇଥିଲା । ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ବୋଲି ମୁଖ୍ୟବକ୍ତା ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ରାଜ୍ୟ ସମ୍ପାଦିକ ଶ୍ରୀମତୀ କସ୍ତୁରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଧାୟକ ଅରବିନ୍ଦ ଢ଼ାଲି, ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ଉପସଭାପତି ବିଂରଚି ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । “ଉତ୍କଳ ଦିବସ ପାଳନ” ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓଡିଶା ପ୍ରଦେଶ ଗଠନର ଶୀର୍ଷ ନେତୃତ୍ୱ ନେଇଥିବା ମହାପୁରୁଷମାନଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

(ବିଜେପି ମିଡିଆ ସେଲ)

Editor Awhawantv contact Mob 8337900918